ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ବିଚଳିତ କଲା ଭଳି ଏକ ଘଟଣା ସାମନାକୁ ଆସିଥିଲା । ନିକ୍କି ନାମକ ଜଣେ ବିବାହିତ ମହିଳାଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଥିଲା । ନିକ୍କିଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ସାମନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠୁଛି । ସତରେ କଣ ଆମ ଆଇନ ଓ ସମାଜ ମହିଳାଙ୍କୁ ସୁରକ୍ଷା ଦେବାରେ ସକ୍ଷମ ? ଭାରତରେ ଯୌତୁକ ଜୁଇରେ କେତେ ଯେ ମହିଳା ଜଳିଲେଣି ତାର ହିସାବ ନାହିଁ ।
ଏନ୍ସିଆରବି (ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ) ଅନୁସାରେ, ୨୦୨୨ରେ ଯୌତୁକ ଜନିତ ହତ୍ୟାର ମୋଟ ୬୪୫୦ ମାମଲା ରୁଜୁ ହୋଇଥିଲା । ତଥ୍ୟ ଅନୁସାରେ, ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ହରିୟାଣା ହିଁ ଏହାର ୮୦ ପ୍ରତିଶତ ମାମଲା ରହିଛି । ଏହି ଡାଟା ଅନୁସାରେ, ପ୍ରତି ତିନି ଦିନରେ ପ୍ରାୟ ୫୪ ଜଣ ମହିଳା ଯୌତୁକ ଉତ୍ପୀଡ଼ିନ ଓ ହତ୍ୟାର ଶିକାର ହେଉଛନ୍ତି । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ନିଷ୍ଠୁର ବାସ୍ତବତା । ଯୌତୁକ ହତ୍ୟା ଓ ଯୌତୁକ ପାଇଁ ନିର୍ଯାତନାରେ ସବୁ ବର୍ଷ ହଜାର ହଜାର ମହିଳାଙ୍କ ଜୀବନ ବଳି ପଡ଼ୁଛି । ତଦନ୍ତ, ମୋକଦ୍ଦମା ଓ ଦଣ୍ଡ ବିଧାନରେ ମନ୍ଥର ପ୍ରକ୍ରିୟା ଅଭିଯୁକ୍ତଙ୍କ ମଧ୍ୟରେ ଭୟ ଶେଷ କରୁଛି ।
ଭାରତରେ ଯୌତୁକ ପ୍ରଥା ପ୍ରଥମେ ବିବାହ ପରେ ଝିଅମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆରମ୍ଭ ହୋଇଥାଇପାରେ । କିନ୍ତୁ ଏହି ପ୍ରଥା ଧୀରେଧୀରେ ଏକ ଡିମାଣ୍ଡରେ ପରିଣତ ହୋଇଥିଲା ଯାହା ମହିଳାଙ୍କ ଶୋଷଣର କାରଣ ହୋଇଥିଲା । ଭାରତରେ, ଯୌତୁକ ବିରୋଧରେ ଯୌତୁକ ନିରୋଧ ଆଇନ ୧୯୬୧ ପ୍ରଣୟନ କରାଯାଇଥିଲା, ଯାହା ୧ ଜୁଲାଇ ୧୯୬୧ରେ କାର୍ଯ୍ୟକାରୀ ହୋଇଥିଲା । ଏହି ଆଇନରେ କୁହାଯାଇଛି ଯେ ଯୌତୁକ ଦେବା କିମ୍ବା ନେବା ଏକ ଦଣ୍ଡନୀୟ ଅପରାଧ ଏବଂ ଏହାକୁ ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଯୌତୁକ ବିରୋଧୀ ଆଇନକୁ ସୁଦୃଢ଼ କରିବା ଏବଂ ମହିଳାଙ୍କ ପ୍ରତି ହେଉଥିବା ନିଷ୍ଠରତାର ମୁକାବିଲା କରିବା ପାଇଁ ୧୯୮୩ରେ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୪୯୮A ଏବଂ ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୧୯୮A ଭଳି ନୂତନ ବ୍ୟବସ୍ଥା ଯୋଡା ଯାଇଥିଲା ।
ଯୌତୁକ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ୨୦୦୫ରେ ଘରୋଇ ହିଂସା ମହିଳା ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା । ଭାରତରେ ଯୌତୁକ ରୋକିବା ପାଇଁ ଆଇନରେ ଅନେକ କଠୋର ଧାରା ଯୋଡାଯାଇଛି । ପୂର୍ବରୁ ଯୌତୁକକୁ କେବଳ ଏକ ସାମାଜିକ କୁପ୍ରଥା ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବଢ଼ୁଥିବା ଅପରାଧ ଯୋଗୁଁ ଏହା ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । IPCର ଧାରା ୩୦୪B ଯୌତୁକ ମୃତ୍ୟୁ ସହିତ ଜଡିତ । ଏହାର ଅର୍ଥ ହେଉଛି ଯଦି ବିବାହର ୭ ବର୍ଷ ମଧ୍ୟରେ ଜଣେ ମହିଳାଙ୍କ ମୃତ୍ୟୁ ହୁଏ ଏବଂ ଏହାର କାରଣ ଯୌତୁକ ବୋଲି ଜଣାପଡ଼େ, ତେବେ ଏହାକୁ ଯୌତୁକ ଜନିତ ମୃତ୍ୟୁ ବୋଲି ବିବେଚନା କରାଯିବ ।